ସୂଚନା ଅନୁସାରେ, ଭାରତୀୟ ତଟ ସୁରକ୍ଷା ବା ଇଣ୍ଡିଆନ କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗତକାଲି ରାତିରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ଟ୍ରାଫିକ ସିଗନାଲରେ ଅଟକି ଥିଲେ । ସେତେବେଳେ ଡିଆଇଜିଙ୍କ କାର ସାମ୍ନାରେ ଏକ ବାଇକ ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ ଦୁଇ ଜଣ ଯୁବକ l ଏହାପରେ ଦୁଇ ଯୁବକ ଏବଂ ଡିଆଇଜିଙ୍କ ମଧ୍ୟରେ ବଚସା ହୋଇଥିଲା l ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଜଣେ ଗାଡିରୁ ଓହ୍ଲାଇ ଆସି ଡିଆଇଜିଙ୍କୁ ଅଶାଳୀନ ଭାବେ ଗାଳି ଗୁଲଜ କରିଥିଲା । ଏନେଇ ସେ ପ୍ରଥମେ ଫୋନ୍ ଯୋଗେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ନିଜ ଟିମ୍ ସହ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ବିଳମ୍ବିତ ରାତିରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ମଧ୍ୟ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏନେଇ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ କହିଛନ୍ତି, – ମୁଁ ଟ୍ରାଫିକ୍ରେ ଥିବା ବେଳେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ସାମନାରେ ଛିଡ଼ା ହୋଇ ଯାଇଥିଲେ। ରାସ୍ତା ଛାଡ଼ିବା ପାଇଁ କହିବାରୁ ସେମାନେ ଦୁର୍ବ୍ୟବହାର କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛି।ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ଏନେଇ ମାମଲା ରୁଜୁ ହୋଇଛି। ଏହାପରେ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର l