ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭରୁ ବଞ୍ଚିତ ଚାଷୀ

ଆମ ଦେଶରେ କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି, କେବେ ପ୍ରାକୃତିକ ବିପର୍ଯ୍ୟୟ ତ କେବେ ବଜାର ଦର ଖସିବା କାରଣରୁ । ଭାରତ ସରକାର ସମୟ ସମୟରେ ବହୁତ ଲାଭଦାୟକ ଯୋଜନା ଘୋଷଣା କରନ୍ତି। ଭାରତ ସରକାର କେବଳ ସାଧାରଣ ନାଗରିକଙ୍କ ପାଇଁ ନୁହେଁ ବରଂ କୃଷକମାନଙ୍କ ପାଇଁ ମଧ୍ୟ ଅନେକ ଲାଭଦାୟକ ଯୋଜନା ଆଣିଛନ୍ତି, ଯାହା ଅଧୀନରେ ଭାରତର କୃଷକ ଏବଂ କୃଷି କ୍ଷେତ୍ର ଅନେକ ଲାଭ ପାଇଥାଏ। ଭାରତ ସରକାର ଚାଷୀଙ୍କ ପାଇଁ ଏଭଳି ଯୋଜନା ଆରମ୍ଭ କରିଛନ୍ତି। ଆମେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ପ୍ରଧାନମନ୍ତ୍ରୀ ଫାସଲ ବିମା ଯୋଜନା ବିଷୟରେ କହୁଛୁ। କୃଷକମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ବୀମା କଭର ଯୋଗାଇବା ସହିତ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଫାସଲ ବିମା ଯୋଜନା କାର୍ଯ୍ୟ କରୁଛି।

କୃଷକମାନଙ୍କ ପାଇଁ ବୀମା ଯୋଜନା ପୂର୍ବରୁ ମଧ୍ୟ ଥିଲା । କିନ୍ତୁ ଏହା ଅନେକ କାରଣରୁ ସଫଳ ହୋଇ ପାରୁନଥିଲା – କେବେ ପ୍ରିମିୟମର ଦର ଅତ୍ୟଧିକ, କେବେ କ୍ଷତିର ଦାବି ରାଶି ବହୁତ କମ୍ ତ କେବେ ସ୍ଥାନୀୟ କ୍ଷତି ଅନ୍ତର୍ଭୁକ୍ତ ନୁହେଁ । ପରିଣାମସ୍ୱରୂପ, ଅତି ବେଶିରେ ୨୦ ପ୍ରତିଶତ କୃଷକ ହିଁ ଏଥିରେ ସାମିଲ ହେଉଥିଲେ, ଏବଂ ନିଜର ଅଧିକାର ପାଇବା ପାଇଁ ସେମାନଙ୍କୁ ମଧ୍ୟ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ, ବୀମା ଯୋଜନାଗୁଡିକ ଉପରୁ  କୃଷକଙ୍କ ଭରସା ଉଠିଯାଇଥିଲା ।

ଏହାକୁ  ଦୃଷ୍ଟିରେ ରଖି ରାଜ୍ୟଗୁଡିକ ସହ, କୃଷକ ମାନଙ୍କ ସହ ଓ ବୀମା କମ୍ପାନୀଗୁଡ଼ିକର ସହ ଗହନ ବିଚାର ବିମର୍ଶ ପରେ କୃଷକ ଭାଇ- ଭଉଣୀଙ୍କୁ ବ୍ୟାପକ ଲାଭ ପହଞ୍ଚାଉଥିବା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସମର୍ପିତ ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ଯେପରି ରଙ୍ଗୀନ୍ ସ୍ୱପ୍ନ ଦେଖାଯାଇଥିଲା ତାହା ବର୍ତ୍ତମାନ କେବଳ ଦିବାସ୍ୱପ୍ନରେ ପରିଣତ ହେଉଥିବାର ଦେଖାଯାଉଛି । ଏହି ଯୋଜନାର ଆରମ୍ଭ ସମୟର ଉତ୍ସାହ ଏବେ ମଳିନ ପଡ଼ିଗଲାଣି । ଗତ ନଭେମ୍ବର ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଏହି ଯୋଜନାର ପ୍ରଣୟନରେ ଅନିୟମିତତା ହୋଇଥିବାର ଅଭିଯୋଗ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଗତ ୨୦୨୧ ମସିହା ଖରିଫ୍ ଋତୁରେ ମରୁଡ଼ି ଯୋଗୁ ଓଡ଼ିଶାର ଚାଷୀମାନଙ୍କର ହୋଇଥିବା ଫସଲ ହାନୀକୁ ଭରଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନୀମାନଙ୍କ ଦ୍ୱାରା ଚାଷୀମାନଙ୍କୁ ଯେତିକି କ୍ଷତିପୁରଣ ଦିଆଯାଇଛି ତାହା କମ୍ପାନୀମାନଙ୍କୁ ପଇଠ କରାଯାଇଥିବା ପ୍ରିମିଅମ୍ ରାଶି ଅନୁସାରେ ବହୁତ କମ୍ ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଘଟଣାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି ତାହା ଏକଦମ୍ ସତ । ସମୁଦ୍ରରେ ଭାସୁଥିବା ବରଫ ଖଣ୍ଡର ଉପରକୁ ଯେପରି ଖୁବ୍‌ ଛୋଟ ଅଂଶ ଦେଖାଯାଏ, ବିଶାଳକାୟ ଅଂଶ ପାଣିରେ ବୁଡ଼ିକରି ଥାଏ, ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା ଘଟଣାର ବଡ଼ ଭାଗ ଏବେ ବି ବାହାରକୁ ଦେଖାଯାଉନାହିଁ ।

ଏହି ଯୋଜନା ଆରମ୍ଭ ହେବା ବେଳେ ଯେପରି ଅନୁମାନ କରାଯାଉଥିଲା ଯେ, ଯୋଜନାର ଅସଲ ଲାଭ ଚାଷୀମାନଙ୍କ ପରିବର୍ତ୍ତେ ବୀମା କମ୍ପାନୀଙ୍କ ପକେଟ୍‌କୁ ଯିବ, ତାହା ସତ ପ୍ରମାଣିତ ହୋଇଛି । ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଚାଷୀମାନଙ୍କ ଦ୍ୱାରା ବୀମା କମ୍ପାନୀମାନଙ୍କୁ ମୋଟ୍ ୧ ଲକ୍ଷ ୨୬ ହଜାର ୫୨୧ କୋଟି ଟଙ୍କାର ପ୍ରିମିଅମ ରାଶି ପ୍ରଦାନ କରାଯାଇଛି । କିନ୍ତୁ ବୀମା କମ୍ପାନୀମାନେ ଫସଲ ହାନୀ ଅଭିଯୋଗ ବାବଦରେ ଚାଷୀମାନଙ୍କୁ ମାତ୍ର ୮୭ ହଜାର ୩୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅର୍ଥାତ୍ ସିଧା ସିଧା ବୀମା କମ୍ପାନୀମାନେ ୩୯,୨୦୧ କୋଟି ଟଙ୍କା ଲାଭ ପାଇଛନ୍ତି । ଯଦି ବୀମା କମ୍ପାନୀମାନଙ୍କୁ ଠିକ୍ ଭାବେ ଓ ଯଥେଷ୍ଟ ପରିମାଣର ପ୍ରିମିଅମ୍ ରାଶି ପ୍ରଦାନ କରାଯାଇଛି, ତେବେ ସେମାନେ ଚାଷୀମାନଙ୍କୁ କ୍ଷତିର ଭରଣା ଦେବାରେ ଏତେ କଞ୍ଜୁସି କରିଛନ୍ତି କାହିଁକି? ବୀମା କମ୍ପାନୀମାନଙ୍କ କଡ଼ାକଡ଼ି ନିୟମ ଓ ବିଳମ୍ବିତ ପ୍ରକ୍ରିୟା ଯୋଗୁ ଅନେକ ଚାଷୀ ସେମାନଙ୍କ ଅଭିଯୋଗ ମୁତାବକ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବା ବହୁ ବିଳମ୍ବରେ ପାଇଛନ୍ତି । ପାଞ୍ଚ ବର୍ଷ ସମୟ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଦାବୀ ସମାଧାନ ହୋଇଥିବା ଚାଷୀମାନଙ୍କ ସଂଖ୍ୟା ଗତ ଖରିଫ୍ ଋତୁରରେ ୨୯% ଓ ରବି ଋତୁରେ ୩୩% କମ୍ ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ବୀମା କମ୍ପାନୀ ପାଖରେ ୯୨୯୫୪ କୋଟି ଟଙ୍କାର ଦାବୀ କରିଥିବା ବେଳେ କମ୍ପାନୀ ସେମାନଙ୍କୁ ୮୭୩୨୦ କୋଟି ଟଙ୍କା ପ୍ରଦାନ କରିଛି । ପାଖାପାଖି ୫ ହଜାର କୋଟି ଟଙ୍କା କମ୍ପାନୀ ଅନ୍ୟାୟପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରିନାହିଁ । ଏତଦ୍‌ବ୍ୟତୀତ ଜଣାଯାଉଛି ଅନେକ କ୍ଷତିଗ୍ରସ୍ତ ଚାଷୀ ଯଦିଓ ଏହି ଯୋଜନା ଅଧୀନରେ ଆସୁଛନ୍ତି କିନ୍ତୁ ସେମାନେ ନିଜ କ୍ଷତିପୁରଣ ପାଇଁ ବୀମା କମ୍ପାନୀ ପାଖରେ ଦାବୀ କରିନାହାନ୍ତି । ସେମାନଙ୍କ ବାବଦର ପ୍ରିମିଅମ୍ କମ୍ପାନୀମାନେ ଗ୍ରହଣ କରିଛନ୍ତି ।

ପରିସଂଖ୍ୟାନରୁ ଜଣାଯାଉଛି ଯେ, ୯୦ ପ୍ରତିଶତ ସରକାରୀ କ୍ଷେତ୍ରର ବୀମା କମ୍ପାନୀମାନେ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବୀ ସମାଧାନ କରିଛନ୍ତି । କିନ୍ତୁ ଅଧିକାଂଶ ଘରୋଇ ବୀମା କମ୍ପାନୀମାନେ କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବୀ ସମାଧାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି ବା ଜମାରୁ ବି ଦାବୀ ସମାଧାନ କରିନାହାନ୍ତି । ଏପରି ଘରୋଇ କମ୍ପାନୀମାନେ ଏହି ଯୋଜନାରୁ ୬୦% ରୁ ୭୦% ଲାଭ ପାଇଛନ୍ତି । ଏହି ଯୋଜନାରୁ ଭାରତୀ ଆକ୍ସା କମ୍ପାନୀ ୭୨% ଲାଭ ପାଇଥିବା ବେଳେ, ରିଲାଏନ୍‌ସ କମ୍ପାନୀ ୫୯% ଲାଭ ପାଇଛି ଓ ଫ୍ୟୁଚର କମ୍ପାନୀ ୬୧% ଲାଭ ହାସଲ କରିଛି ।

ମହାରାଷ୍ଟ୍ର ପରି ରାଜ୍ୟରେ ଘରୋଇ ବୀମା କମ୍ପାନୀମାନେ କେନ୍ଦ୍ର ସରକାର, ରାଜ୍ୟ ସରାକର ଓ ଚାଷୀଙ୍କଠାରୁ ପ୍ରଚୁର ପରିମାଣରେ ପ୍ରିମିଅମ୍ ରାଶି ପାଇଥିବା ବେଳେ ଚାଷୀଙ୍କ ଦାବୀ ସମାଧାନ କ୍ଷେତ୍ରରେ ବହୁତ ପଛରେ ଅଛନ୍ତି । ଏହାକୁ ଏକ ପ୍ରକାର ଠକେଇ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୱେବ୍‌ସାଇଟ୍ ଅନୁସାରେ ୨୦୨୧-୨୨ ଖରିଫ୍ ଓ ରବି ଋତୁରେ ଚାଷୀମାନେ ୨୨୯୧ କୋଟି ଓ ୧୩୮୭ କୋଟି ଟଙ୍କା ପ୍ରିମିଅମ୍ ରାଶି ପ୍ରଦାନ କରିଥିବା ବେଳେ, ରାଜ୍ୟ ସରକାର ୬୮୨୬ କୋଟି ଓ କେନ୍ଦ୍ର ସରକାର ୪୪୧୬ କୋଟି ଟଙ୍କା ପ୍ରିମିଅମ୍ ରାଶି ପ୍ରଦାନ କରିଛନ୍ତି । କିନ୍ତୁ କେତେ ଚାଷୀମାନଙ୍କର ଦାବୀ ସମାଧାନ ହୋଇଛି ଓ ଚାଷୀମାନେ କେତେ ଟଙ୍କା ପାଇଛନ୍ତି ତାହା ୱେବ୍‌ସାଇଟ୍‌ରେ ଦର୍ଶାଯାଇନାହିଁ । କାହିଁକି ଯେ ଏପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯାଉନାହିଁ ତାହାର ଉତ୍ତର କେବଳ କେନ୍ଦ୍ର ସରକାର ହିଁ ଦେଇପାରିବେ । କୃଷି ବିଶେଷଜ୍ଞମାନଙ୍କ ସନ୍ଦେହ ସତ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସିଂହ ଭାଗ ଲାଭ କେବଳ ଘରୋଇ ବୀମା କମ୍ପାନୀମାନେ ହିଁ ପାଉଛନ୍ତି । ଚାଷୀମାନଙ୍କ ନାମରେ କରାଯାଇଥିବା ଏହି ଯୋଜନା ବୀମା କମ୍ପାନୀମାନଙ୍କୁ ହିଁ ସେବା ଯୋଗାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନା ଅଧୀନରେ ପ୍ରିମିଅମ୍ ବାବଦକୁ ବୀମା କମ୍ପାନୀମାନଙ୍କୁ ଯେଉଁ ଟଙ୍କା ଦେଉଛନ୍ତି, ତାହା ସାଧାରଣ ଲୋକଙ୍କଠାରୁ କର ଓ ବିଭିନ୍ନ ଶୁଳ୍କ ମାଧ୍ୟମରେ ଆଦାୟ ହୋଇଥିବା ପରିଶ୍ରମ ଲବ୍‌ଧ ଅର୍ଥ । ତାହା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷତି ସହୁଥିବା ଚାଷୀମାନଙ୍କ ପାଖକୁ ନଯାଇ ଧନକୁବେର ସାଜିଥିବା ବୀମା କମ୍ପାନୀମାନଙ୍କ ପାଖକୁ ଯାଉଛି ।

 

Insight News
Author: Insight News

Leave a Reply

Your email address will not be published. Required fields are marked *